6ତୁମ୍ଭେମାନେ ଆକାଶମଣ୍ଡଳ ପ୍ରତି ଊର୍ଦ୍ଧ୍ୱଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର; କାରଣ ଆକାଶମଣ୍ଡଳ ଧୂମ ତୁଲ୍ୟ ଅନ୍ତର୍ହିତ ହେବ ଓ ଭୂମଣ୍ଡଳ ବସ୍ତ୍ର ତୁଲ୍ୟ ଜୀର୍ଣ୍ଣ ହେବ, ପୁଣି ତନ୍ନିବାସୀଗଣ ସେହିରୂପେ ମରିଯିବେ; ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାୟୀ ହେବ ଓ ଆମ୍ଭର ଧର୍ମ ଲୁପ୍ତ ହେବ ନାହିଁ।
7ହେ ଧର୍ମଜ୍ଞ ଲୋକମାନେ, ତୁମ୍ଭମାନଙ୍କ ହୃଦୟରେ ଆମ୍ଭର ବ୍ୟବସ୍ଥା ଅଛି, ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ମର୍ତ୍ତ୍ୟର ଅପମାନରେ ଭୀତ ହୁଅ ନାହିଁ, ଅଥବା ସେମାନଙ୍କ ନିନ୍ଦାରେ ଉଦ୍ବିଗ୍ନ ହୁଅ ନାହିଁ।
8କାରଣ କୀଟ ସେମାନଙ୍କୁ ବସ୍ତ୍ର ପରି ଖାଇ ପକାଇବ ଓ ପୋକ ସେମାନଙ୍କୁ ଲୋମ ପରି ଖାଇ ପକାଇବ; ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ହେବ ଓ ଆମ୍ଭର ପରିତ୍ରାଣ ବଂଶାନୁକ୍ରମେ ରହିବ।”
9ହେ ସଦାପ୍ରଭୁଙ୍କ ବାହୁ, ଜାଗ, ଜାଗ, ବଳ ପରିଧାନ କର, ଯେପରି ପୂର୍ବକାଳରେ, ପ୍ରାଚୀନ କାଳର ବଂଶାନୁକ୍ରମେ ସମୟରେ, ସେହିପରି ଜାଗ। ଯେ ରାହବକୁ ଖଣ୍ଡ ଖଣ୍ଡ କରି କାଟିଲେ, ଯେ ନାଗକୁ ବିଦ୍ଧ କଲେ, ସେ କି ତୁମ୍ଭେ ନୁହଁ?
10ଯେ ସମୁଦ୍ରକୁ, ମହାବାରିଧିର ଜଳସମୂହକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ନିମନ୍ତେ ସମୁଦ୍ରର ଗଭୀର ସ୍ଥାନକୁ ପଥ କଲେ, ସେ କି ତୁମ୍ଭେ ନୁହଁ?