10ଯେହେତୁ ତୁମ୍ଭ ପ୍ରତି କରୁଣା କରିଅଛନ୍ତି ଯେଉଁ ସଦାପ୍ରଭୁ, ସେ କହନ୍ତି, ପର୍ବତଗଣ ବିଚଳିତ ହୋଇ ଘୁଞ୍ଚିଯିବେ ଓ ଉପପର୍ବତଗଣ ଟଳିବେ; ମାତ୍ର ଆମ୍ଭର ଦୟା ତୁମ୍ଭଠାରୁ ବିଚଳିତ ହେବ ନାହିଁ, ଅଥବା ଆମ୍ଭ ଶାନ୍ତିର ନିୟମ ଟଳିବ ନାହିଁ।
11ଆଗୋ ଦୁଃଖିନୀ, ତୋଫାନରେ ବିଚଳିତେ ଓ ସାନ୍ତ୍ୱନାବିହୀନେ, ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣି ଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
12ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭର ଚୂଡ଼ା ଓ ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାରସକଳ ଓ ମନୋହର ପ୍ରସ୍ତରରେ ତୁମ୍ଭର ସମସ୍ତ ସୀମା ନିର୍ମାଣ କରିବା।
13ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ।
14ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଉପଦ୍ରବଠାରୁ ଦୂରରେ ରହିବ, କାରଣ ତୁମ୍ଭେ ଭୀତ ହେବ ନାହିଁ; ପୁଣି ତ୍ରାସଠାରୁ ଦୂରରେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।