8ଅତିଶୟ କୋପରେ ଆମ୍ଭେ ଏକ ନିମିଷ ମାତ୍ର ଆପଣା ମୁଖ ତୁମ୍ଭଠାରୁ ଲୁଚାଇଲୁ; ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା, ଏହା ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ କହନ୍ତି।
9କାରଣ ଏହା ଆମ୍ଭ ପ୍ରତି ନୋହ ସମୟର ଜଳ ତୁଲ୍ୟ ଅଟେ; ନୋହ ସମୟର ଜଳ ଆଉ ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଯେପରି ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ, ଅବା ତୁମ୍ଭକୁ ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
10ଯେହେତୁ ତୁମ୍ଭ ପ୍ରତି କରୁଣା କରିଅଛନ୍ତି ଯେଉଁ ସଦାପ୍ରଭୁ, ସେ କହନ୍ତି, ପର୍ବତଗଣ ବିଚଳିତ ହୋଇ ଘୁଞ୍ଚିଯିବେ ଓ ଉପପର୍ବତଗଣ ଟଳିବେ; ମାତ୍ର ଆମ୍ଭର ଦୟା ତୁମ୍ଭଠାରୁ ବିଚଳିତ ହେବ ନାହିଁ, ଅଥବା ଆମ୍ଭ ଶାନ୍ତିର ନିୟମ ଟଳିବ ନାହିଁ।
11ଆଗୋ ଦୁଃଖିନୀ, ତୋଫାନରେ ବିଚଳିତେ ଓ ସାନ୍ତ୍ୱନାବିହୀନେ, ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣି ଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
12ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭର ଚୂଡ଼ା ଓ ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାରସକଳ ଓ ମନୋହର ପ୍ରସ୍ତରରେ ତୁମ୍ଭର ସମସ୍ତ ସୀମା ନିର୍ମାଣ କରିବା।