4କାରଣ, ନପୁଂସକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯେଉଁମାନେ ଆମ୍ଭର ବିଶ୍ରାମବାର ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷୟ ମନୋନୀତ କରନ୍ତି ଓ ଆମ୍ଭର ନିୟମ ଅବଲମ୍ବନ କରନ୍ତି;”
5“ସେମାନଙ୍କୁ ଆମ୍ଭେ ଆମ୍ଭ ଗୃହ ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ରକନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା; ଆମ୍ଭେ ସେମାନଙ୍କୁ ଅନନ୍ତକାଳସ୍ଥାୟୀ ନାମ ଦେବା, ତାହା କଟା ହେବ ନାହିଁ।
6ଆହୁରି, ଯେଉଁ ବିଦେଶୀୟମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ରେମ କରିବା ପାଇଁ ଓ ତାହାଙ୍କର ଦାସ ହେବା ନିମନ୍ତେ ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅନ୍ତି, ଅର୍ଥାତ୍, ଯେଉଁମାନେ ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରନ୍ତି ଓ ଆମ୍ଭର ନିୟମ ଅବଲମ୍ବନ କରନ୍ତି;
7ସେହି ସମସ୍ତଙ୍କୁ ଆମ୍ଭେ ଆପଣା ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପ୍ରାର୍ଥନାଗୃହରେ ସେମାନଙ୍କୁ ଆନନ୍ଦିତ କରିବା; ସେମାନଙ୍କର ହୋମବଳି ଓ ପ୍ରାୟଶ୍ଚିତ୍ତ ବଳିସବୁ ଆମ୍ଭ ଯଜ୍ଞବେଦି ଉପରେ ଗ୍ରାହ୍ୟ ହେବ; କାରଣ ଆମ୍ଭର ଗୃହ ସର୍ବଗୋଷ୍ଠୀୟ ଲୋକଙ୍କର ପ୍ରାର୍ଥନାଗୃହ ବୋଲି ବିଖ୍ୟାତ ହେବ।
8ଯେ ଇସ୍ରାଏଲର ଦୂରୀକୃତ ଲୋକଙ୍କୁ ସଂଗ୍ରହ କରନ୍ତି, ସେହି ପ୍ରଭୁ, ସଦାପ୍ରଭୁ କହନ୍ତି, ତାହାର ସଂଗୃହୀତ ନିଜ ଲୋକ ଛଡ଼ା ଆମ୍ଭେ ଅନ୍ୟ ଲୋକମାନଙ୍କୁ ତାହା ନିକଟରେ ସଂଗ୍ରହ କରିବା।”