2ପୁଣି, ସେମାନଙ୍କର ସନ୍ତାନଗଣ ଉଚ୍ଚ ଗିରିସ୍ଥିତ ହରିତ୍ପୂର୍ଣ୍ଣ ବୃକ୍ଷ ନିକଟରେ ସେମାନଙ୍କର ଯଜ୍ଞବେଦି ଓ ଆଶେରା ମୂର୍ତ୍ତିସକଳ ସ୍ମରଣ କରନ୍ତି।
3ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ, ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀସକଳ ଲୁଟିତ ହେବା ପାଇଁ ଦେବା।
4ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଲୁ, ତୁମ୍ଭେ ଆପେ ତହିଁରୁ କ୍ଷାନ୍ତ ହେବ। ଆଉ, ଆମ୍ଭେ ତୁମ୍ଭ ଅଜ୍ଞାତ ଦେଶରେ ତୁମ୍ଭକୁ ତୁମ୍ଭ ଶତ୍ରୁଗଣର ସେବା କରାଇବା; କାରଣ ତୁମ୍ଭେମାନେ ଆମ୍ଭ କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ କରିଅଛ, ତାହା ସଦାକାଳ ଜ୍ୱଳିବ।”
5ସଦାପ୍ରଭୁ ଏହି କଥା କହନ୍ତି; “ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ।
6ସେ ମରୁଭୂମିସ୍ଥିତ ଝାଉଁ ବୃକ୍ଷ ତୁଲ୍ୟ ହେବ, ମଙ୍ଗଳ ଉପସ୍ଥିତ ହେବା ବେଳେ ସେ ଦେଖିବ ନାହିଁ; ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନରେ, ନିବାସୀବିହୀନ ଲବଣ ଭୂମିରେ ବାସ କରିବ।