7ଆଉ, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍, ଏହି ନଗରର ଯେଉଁ ସକଳ ଲୋକ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ୍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା, ଦୟା କି କରୁଣା କରିବ ନାହିଁ।’
8ପୁଣି, ତୁମ୍ଭେ ଏହି ଲୋକମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁର ପଥ ରଖୁଅଛୁ।
9ଯେଉଁ ଲୋକ ଏହି ନଗର ମଧ୍ୟରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେଉଁ ଲୋକ ବାହାରିଯାଇ ତୁମ୍ଭମାନଙ୍କର ଅବରୋଧକାରୀ କଲ୍ଦୀୟମାନଙ୍କର ପକ୍ଷ ହେବ, ସେ ବଞ୍ଚିବ ଓ ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟ ତୁଲ୍ୟ ହେବ।
10କାରଣ ସଦାପ୍ରଭୁ କହନ୍ତି, ମଙ୍ଗଳର ନିମନ୍ତେ ନୁହେଁ, ପୁଣି ଅମଙ୍ଗଳର ନିମନ୍ତେ ଏହି ନଗର ପ୍ରତି ଆମ୍ଭେ ଆପଣା ମୁଖ ରଖିଅଛୁ; ତାହା ବାବିଲ ରାଜାର ହସ୍ତଗତ କରାଯିବ ଓ ସେ ଅଗ୍ନିରେ ତାହା ଦଗ୍ଧ କରିବ।
11ଆଉ, ଯିହୁଦାର ରାଜବଂଶ ବିଷୟରେ ତୁମ୍ଭେମାନେ ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ;