11ପୁଣି, ଶାଫନ୍ର ପୌତ୍ର ଗମରୀୟର ପୁତ୍ର ମୀଖାୟ ସେହି ନଳାକାର ପୁସ୍ତକରୁ ସଦାପ୍ରଭୁଙ୍କର ବାକ୍ୟସବୁ ଶୁଣନ୍ତେ,
12ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରିକୁ ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟିୟ, ଅକ୍ବୋରର ପୁତ୍ର ଇଲ୍ନାଥନ୍, ଶାଫନ୍ର ପୁତ୍ର ଗମରୀୟ, ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।
13ତେବେ ବାରୂକ ଲୋକମାନଙ୍କ କର୍ଣ୍ଣଗୋଚରରେ ନଳାକାର ପୁସ୍ତକ ପାଠ କଲା ବେଳେ ମୀଖାୟ ଯାହା ଯାହା ଶୁଣିଥିଲା, ସେସବୁ କଥା ସେମାନଙ୍କୁ ଜଣାଇଲା।
14ଏହେତୁ ଅଧିପତି ସମସ୍ତେ କୂଶୀର ପ୍ରପୌତ୍ର, ଶେଲିମୀୟର ପୌତ୍ର, ନଥନୀୟର ପୁତ୍ର ଯିହୁଦୀକୁ ବାରୂକ ନିକଟକୁ ପଠାଇ କହିଲେ, “ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, ତାହା ହସ୍ତରେ ଘେନିଆସ।” ତହିଁରେ ନେରୀୟର ପୁତ୍ର ବାରୂକ ନଳାକାର ପୁସ୍ତକଟି ହସ୍ତରେ ଘେନି ସେମାନଙ୍କ ନିକଟରେ ଉପସ୍ଥିତ ହେଲା।
15ତହିଁରେ ସେମାନେ ତାହାକୁ କହିଲେ, “ଏବେ ବସି ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।” ତହୁଁ ବାରୂକ ସେମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା।