12ପୁଣି, କୂଶୀୟ ଏବଦ୍-ମେଲକ ଯିରିମୀୟଙ୍କୁ କହିଲା, “ସେହି ପୁରୁଣା ତ୍ୟକ୍ତ ବସ୍ତ୍ର ଓ ଚିରାକନା ଆପଣା କକ୍ଷମୂଳରେ ରଜ୍ଜୁ ତଳେ ଦିଅ।”
13ତହିଁରେ ଯିରିମୀୟ ସେପରି କଲେ। ତହୁଁ ସେମାନେ ରଜ୍ଜୁ ଧରି ଟାଣି ଯିରିମୀୟଙ୍କୁ କୂପରୁ ବାହାର କରି ଆଣିଲେ। ପୁଣି, ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
14ଏଥିଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ସଦାପ୍ରଭୁଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନରେ ଆପଣା ନିକଟକୁ ଅଣାଇଲା। ଆଉ, ରାଜା ଯିରିମୀୟଙ୍କୁ କହିଲା, “ମୁଁ ତୁମ୍ଭକୁ ଗୋଟିଏ କଥା ପଚାରିବି; ତୁମ୍ଭେ ମୋʼ ଠାରୁ କିଛି ଗୋପନ କରିବ ନାହିଁ।”
15ତେବେ ଯିରିମୀୟ ସିଦିକୀୟକୁ କହିଲେ, “ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ କି ମୋତେ ନିଶ୍ଚୟ ବଧ କରିବେ ନାହିଁ? ଆଉ, ମୁଁ ଯଦି ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋʼ କଥା ଶୁଣିବେ ନାହିଁ।”
16ତହିଁରେ ସିଦିକୀୟ ରାଜା ଗୋପନରେ ଯିରିମୀୟଙ୍କ ନିକଟରେ ଶପଥ କରି କହିଲା, “ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କର ଶପଥ, ମୁଁ ତୁମ୍ଭକୁ ବଧ କରିବି ନାହିଁ, କିଅବା ତୁମ୍ଭ ପ୍ରାଣନାଶର ଚେଷ୍ଟାକାରୀ ଏହି ଲୋକମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।”