3ଆଉ, ସଦାପ୍ରଭୁ ତାହା ଘଟାଇଅଛନ୍ତି ଓ ଯେପରି କହିଥିଲେ, ସେପରି କରିଅଛନ୍ତି; ତୁମ୍ଭେମାନେ ସଦାପ୍ରଭୁଙ୍କର କଥା ନ ମାନି ତାହାଙ୍କ ବିରୁଦ୍ଧରେ ପାପ କରିଅଛ, ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଏହା ଘଟିଅଛି।
4ଆଉ, ଏବେ ଦେଖ, ମୁଁ ଆଜି ତୁମ୍ଭ ହସ୍ତରେ ଥିବା ଶୃଙ୍ଖଳରୁ ତୁମ୍ଭକୁ ମୁକ୍ତ କଲି। ମୋʼ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ଦିଶେ, ତେବେ ଆସ, ଆଉ ମୁଁ ଭଲ ରୂପେ ତୁମ୍ଭର ତତ୍ତ୍ୱାବଧାନ କରିବି; ମାତ୍ର ମୋʼ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ନ ଦିଶେ, ତେବେ କ୍ଷାନ୍ତ ହୁଅ; ଦେଖ, ସମୁଦାୟ ଦେଶ ତୁମ୍ଭ ଆଗରେ ପଡ଼ିଛି; ଯେଉଁଠାକୁ ଯିବା ପାଇଁ ତୁମ୍ଭକୁ ଭଲ ଓ ଉପଯୁକ୍ତ ଦିଶେ, ସେଠାକୁ ଯାଅ।”
5ଯିରିମୀୟ ଫେରି ନ ଯାଉଣୁ ନବୂଷରଦନ୍ ତାଙ୍କୁ କହିଲା, “ତେବେ ତୁମ୍ଭେ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଫେରିଯାଅ, ବାବିଲର ରାଜା ତାହାକୁ ଯିହୁଦାର ନଗରସମୂହର ଉପରେ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଅଛି, ଆଉ ତୁମ୍ଭେ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କର; ଅବା ଯେକୌଣସି ସ୍ଥାନକୁ ଯିବା ପାଇଁ ତୁମ୍ଭକୁ ଉପଯୁକ୍ତ ଦିଶେ, ସେ ସ୍ଥାନକୁ ଯାଅ।” ତହିଁରେ ପ୍ରହରୀବର୍ଗର ସେନାପତି ତାଙ୍କୁ ପାଥେୟ ଓ ପାରିତୋଷିକ ଦେଇ ବିଦାୟ କଲା।
6ତହିଁରେ ଯିରିମୀୟ ମିସ୍ପାକୁ ଅହୀକାମ୍ର ପୁତ୍ର ଗଦଲୀୟ ନିକଟକୁ ଯାଇ ଦେଶସ୍ଥ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କଲେ।
7ଏଥିଉତ୍ତାରେ ଅହୀକାମ୍ର ପୁତ୍ର ଗଦଲୀୟଙ୍କୁ ବାବିଲର ରାଜା ଦେଶର ଶାସନକର୍ତ୍ତା କରି ନିଯୁକ୍ତ କରିଅଛି ଓ ଯେଉଁମାନେ ବନ୍ଦୀ ହୋଇ ବାବିଲକୁ ନୀତ ହୋଇ ନାହାନ୍ତି, ଏପରି ସକଳ ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଓ ଦେଶସ୍ଥ ଦରିଦ୍ରମାନଙ୍କର ଭାର ତାହା ହସ୍ତରେ ସମର୍ପଣ କରିଅଛି ବୋଲି ପଦାରେ ସ୍ଥିତ ସେନାପତିଗଣ ଓ ସେମାନଙ୍କର ଲୋକମାନେ ଶୁଣିଲେ।