10କାରଣ ସେଦିନ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କର ପ୍ରତିଶୋଧ ନେବାର ଓ ତାହାଙ୍କ ବିପକ୍ଷମାନଙ୍କୁ ପ୍ରତିଫଳ ଦେବାର ଦିନ ଅଟେ; ଖଡ୍ଗ ଗ୍ରାସ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନ କରି ପରିତୃପ୍ତ ହେବ; କାରଣ ଫରାତ୍ ନଦୀ ନିକଟସ୍ଥ ଉତ୍ତର ଦେଶରେ ପ୍ରଭୁଙ୍କର ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞ ଅଛି।
11ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠିଯାଇ ଔଷଧ ନିଅ। ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ।
12ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି, ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ; କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।”
13ବାବିଲର ରାଜା ନବୂଖଦ୍ନିତ୍ସର ମିସର ଦେଶକୁ ଆସି ତାହା ପରାସ୍ତ କରିବା ବିଷୟରେ ସଦାପ୍ରଭୁ ଯିରିମୀୟଙ୍କୁ ଯେଉଁ କଥା କହିଲେ, ତାହା ଏହି, ଯଥା,
14“ତୁମ୍ଭେମାନେ ମିସରରେ ପ୍ରଚାର କର, ମିଗ୍ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫନ୍ହେଷରରେ ଘୋଷଣା କର; ତୁମ୍ଭେମାନେ କୁହ, ତୁମ୍ଭେ ଠିଆ ହୁଅ, ଆପଣାକୁ ପ୍ରସ୍ତୁତ କର, କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ସବୁ ଗ୍ରାସ କରିଅଛି।