11ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠିଯାଇ ଔଷଧ ନିଅ। ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ।
12ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି, ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ; କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।”
13ବାବିଲର ରାଜା ନବୂଖଦ୍ନିତ୍ସର ମିସର ଦେଶକୁ ଆସି ତାହା ପରାସ୍ତ କରିବା ବିଷୟରେ ସଦାପ୍ରଭୁ ଯିରିମୀୟଙ୍କୁ ଯେଉଁ କଥା କହିଲେ, ତାହା ଏହି, ଯଥା,
14“ତୁମ୍ଭେମାନେ ମିସରରେ ପ୍ରଚାର କର, ମିଗ୍ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫନ୍ହେଷରରେ ଘୋଷଣା କର; ତୁମ୍ଭେମାନେ କୁହ, ତୁମ୍ଭେ ଠିଆ ହୁଅ, ଆପଣାକୁ ପ୍ରସ୍ତୁତ କର, କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ସବୁ ଗ୍ରାସ କରିଅଛି।
15ତୁମ୍ଭର ବଳବାନ ଲୋକମାନେ କାହିଁକି ଭାସିଗଲେ? ସେମାନେ ସ୍ଥିର ରହି ପାରିଲେ ନାହିଁ, କାରଣ ସଦାପ୍ରଭୁ ସେମାନଙ୍କୁ ତଡ଼ିଦେଲେ।