17ପୁଣି, “ଇଦୋମ ବିସ୍ମୟର ବିଷୟ ହେବ; ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହେବେ ଓ ତହିଁର ସକଳ ଦଣ୍ଡ ସକାଶୁ ଶୀସ୍ ଶବ୍ଦ କରିବେ।
18ସଦାପ୍ରଭୁ କହନ୍ତି, ସଦୋମ ଓ ହମୋରାର ଓ ତନ୍ନିକଟବର୍ତ୍ତୀ ନଗରସମୂହ ସଦୃଶ୍ୟ ତାହାର ଉତ୍ପାଟନ ହେବ, କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ; କିଅବା କୌଣସି ମନୁଷ୍ୟ-ସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
19ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ୍ ତାହା ନିକଟରୁ ତାହାକୁ ଦୂର କରିଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହା ଉପରେ ଆମ୍ଭେ ତାହାକୁ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି? ଆମ୍ଭ ପାଇଁ କିଏ ସମୟ ନିରୂପଣ କରିବ ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହୋଇପାରେ, ଏପରି ପାଳକ କିଏ ଅଛି?
20ଏହେତୁ ସଦାପ୍ରଭୁ ଇଦୋମର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ୍ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ, ଲୋକମାନେ ନିଶ୍ଚୟ ସେମାନଙ୍କୁ, ପଲର ଛୁଆମାନଙ୍କୁ ହିଁ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କ ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
21ସେମାନଙ୍କର ପତନ ଶବ୍ଦରେ ପୃଥିବୀ କମ୍ପୁଅଛି, ସୂଫ ସାଗର ପର୍ଯ୍ୟନ୍ତ କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।