38ତାହାର ଜଳାଶୟ ଉପରେ ଉତ୍ତାପ ଅଛି ଓ ତାହା ଶୁଷ୍କ ହୋଇଯିବ; କାରଣ ସେ ଖୋଦିତ ପ୍ରତିମାଗଣର ଦେଶ, ଆଉ ଲୋକମାନେ ଆପଣା ଆପଣା ଦେବଗଣରେ ଉନ୍ମତ୍ତ ଅଟନ୍ତି।
39ଏଥିପାଇଁ ବନ-ପଶୁ ଓ କେନ୍ଦୁଆମାନେ ସେଠାରେ ବାସ କରିବେ ଓ ଓଟପକ୍ଷୀମାନେ ତହିଁ ମଧ୍ୟରେ ବାସ କରିବେ; ତାହା ଆଉ କେବେ ହେଁ ବସତି ସ୍ଥାନ ହେବ ନାହିଁ ଓ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରାଯିବ ନାହିଁ।
40ସଦାପ୍ରଭୁ କହନ୍ତି, ପରମେଶ୍ୱର ସଦୋମ, ହମୋରା ଓ ତନ୍ନିକଟବର୍ତ୍ତୀ ନଗରସବୁ ଉତ୍ପାଟନ କଲା ବେଳେ ଯେରୂପ ହୋଇଥିଲା, ସେରୂପ କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟପୁତ୍ର ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
41ଦେଖ, ଉତ୍ତର ଦିଗରୁ ଏକ ଜନବୃନ୍ଦ ଆସୁଅଛନ୍ତି ଓ ପୃଥିବୀର ପ୍ରାନ୍ତରୁ ଏକ ମହାଗୋଷ୍ଠୀ ଓ ଅନେକ ରାଜା ଉତ୍ତେଜିତ ହେବେ।
42ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଗୋ ବାବିଲର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।