30ବାବିଲର ବୀରଗଣ ଯୁଦ୍ଧରୁ କ୍ଷାନ୍ତ ହୋଇଅଛନ୍ତି, ସେମାନେ ଆପଣାମାନଙ୍କର ଗଡ଼ ମଧ୍ୟରେ ରହୁଛନ୍ତି; ସେମାନଙ୍କର ବଳ ଊଣା ହୋଇଅଛି; ସେମାନେ ସ୍ତ୍ରୀମାନଙ୍କ ସମାନ ହୋଇଅଛନ୍ତି, ତାହାର ବାସସ୍ଥାନସବୁ ଦଗ୍ଧ, ତାହାର ହୁଡ଼କାସବୁ ଭଗ୍ନ ହୋଇଅଛି।
31ବାବିଲ ରାଜାର ନଗର ଚତୁର୍ଦ୍ଦିଗରେ ହସ୍ତଗତ ହୋଇଅଛି, ଏହି ସମ୍ବାଦ ତାହାକୁ ଦେବା ନିମନ୍ତେ ଏକ ଧାଉଡ଼ିଆ ଅନ୍ୟ ଧାଉଡ଼ିଆର ଓ ଏକ ଦୂତ ଅନ୍ୟ ଦୂତ ସହିତ ଭେଟିବାକୁ ଦୌଡ଼ିବେ,
32ପୁଣି, ପାରଘାଟସବୁ ହସ୍ତଗତ ହୋଇଅଛି, ନଳବଣସବୁ ଅଗ୍ନିରେ ଦଗ୍ଧ ଓ ଯୋଦ୍ଧାମାନେ ଭୟଗ୍ରସ୍ତ ହୋଇଅଛନ୍ତି।
33କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ବାବିଲର କନ୍ୟା ଶସ୍ୟମର୍ଦ୍ଦନ ସମୟର ଖଳା ସ୍ୱରୂପ; ଆଉ, ଅଳ୍ପ କାଳ ମଧ୍ୟରେ ତାହା ପାଇଁ ଶସ୍ୟଚ୍ଛେଦନର ସମୟ ଉପସ୍ଥିତ ହେବ।”
34“ବାବିଲର ରାଜା ନବୂଖଦ୍ନିତ୍ସର ମୋତେ ଗ୍ରାସ କରିଅଛି, ସେ ମୋତେ ଚୂର୍ଣ୍ଣ କରିଅଛି, ସେ ମୋତେ ଶୂନ୍ୟପାତ୍ର ସ୍ୱରୂପ କରିଅଛି, ସେ ନାଗସର୍ପ ପରି ମୋତେ ଗ୍ରାସ କରିଅଛି, ମୋହର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି, ସେ ମୋତେ ଦୂର କରିଦେଇଅଛି।”