47ଏହେତୁ ଦେଖ, ଯେଉଁ ସମୟରେ ଆମ୍ଭେ ବାବିଲର ଖୋଦିତ ପ୍ରତିମାଗଣକୁ ପ୍ରତିଫଳ ଦେବା ଓ ତାହାର ସମୁଦାୟ ଦେଶ ଲଜ୍ଜିତ ହେବ, ଆଉ ତାହାର ହତ ଲୋକମାନେ ତାହା ମଧ୍ୟରେ ପଡ଼ିବେ, ଏପରି ସମୟ ଆସୁଅଛି।
48ସେସମୟରେ ସ୍ୱର୍ଗ ଓ ପୃଥିବୀ ଓ ତନ୍ମଧ୍ୟସ୍ଥିତସକଳ ବାବିଲ ବିଷୟରେ ଆନନ୍ଦଗାନ କରିବେ; କାରଣ ସଦାପ୍ରଭୁ କହନ୍ତି, ଉତ୍ତର ଦିଗରୁ ବିନାଶକଗଣ ତାହା ବିରୁଦ୍ଧରେ ଆସିବେ।
49ବାବିଲ ଯେପରି ଇସ୍ରାଏଲର ହତ ଲୋକମାନଙ୍କୁ ନିପାତିତ କରାଇଅଛି, ସେପରି ସମୁଦାୟ ଦେଶର ହତ ଲୋକମାନେ ବାବିଲରେ ପତିତ ହେବେ।
50ହେ ଖଡ୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଚାଲିଯାଅ, ସ୍ଥିର ହୋଇ ଠିଆ ହୁଅ ନାହିଁ! ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ଯିରୂଶାଲମ ତୁମ୍ଭମାନଙ୍କ ମନରେ ପଡ଼ୁ।
51‘ଆମ୍ଭେମାନେ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହୋଇଅଛୁ; ଅପମାନ ଆମ୍ଭମାନଙ୍କ ମୁଖକୁ ଆଚ୍ଛାଦିତ କରିଅଛି; କାରଣ ବିଦେଶୀମାନେ ସଦାପ୍ରଭୁଙ୍କ ଗୃହର ସକଳ ପବିତ୍ର ସ୍ଥାନରେ ପ୍ରବେଶ କରିଅଛନ୍ତି।’