1ଏହିରୂପେ ସମୁଦାୟ ଗୋଷ୍ଠୀ ସମ୍ପୂର୍ଣ୍ଣ ରୂପେ ଯର୍ଦ୍ଦନ ପାର ହେଲା ଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ,
2“ତୁମ୍ଭେମାନେ ଲୋକମାନଙ୍କର ଏକ ଏକ ବଂଶ ମଧ୍ୟରୁ ଏକ ଏକ ଜଣ, ଏରୂପେ ବାରଗୋଟି ଜଣ ଗ୍ରହଣ କରି
3ସେମାନଙ୍କୁ ଆଜ୍ଞା ଦେଇ କୁହ, ‘ଯର୍ଦ୍ଦନର ଯେଉଁ ମଧ୍ୟସ୍ଥାନରେ ଯାଜକମାନଙ୍କ ଚରଣ ସ୍ଥିର ହୋଇ ରହିଥିଲା, ସେହି ସ୍ଥାନରୁ ତୁମ୍ଭେମାନେ ବାରଗୋଟି ପ୍ରସ୍ତର ଗ୍ରହଣ କରି ଆପଣାମାନଙ୍କ ସଙ୍ଗେ ସେପାରିକି ନେଇଯାଅ, ପୁଣି ଆଜି ରାତ୍ର ଯେଉଁ ସ୍ଥାନରେ ତୁମ୍ଭେମାନେ ବସା କରିବ, ସେହି ସ୍ଥାନରେ ତାହା ରଖିବ।’”
4ତେବେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ବଂଶରୁ ଏକ ଏକ ଜଣ କରି ଯେଉଁ ବାର ଜଣ ନିରୂପଣ କରିଥିଲେ, ସେମାନଙ୍କୁ ଡାକିଲେ;
5ପୁଣି ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନ ମଧ୍ୟକୁ ଯାଅ ଓ ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଇସ୍ରାଏଲ-ସନ୍ତାନଗଣର ବଂଶ ସଂଖ୍ୟାନୁସାରେ ଏକ ଏକ ପଥର ଆପଣା ଆପଣା କାନ୍ଧରେ ଘେନ;