15ଏଥିଉତ୍ତାରେ ସେ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନେଇ ବଧ କରିବ ଓ ତାହାର ରକ୍ତ ବିଚ୍ଛେଦ ବସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସର ରକ୍ତ ନେଇ କରିଥିଲା, ସେପରି ତାହାର ରକ୍ତ ନେଇ କରିବ, ଅର୍ଥାତ୍, ପାପାଚ୍ଛାଦନ ଉପରେ ଓ ପାପାଚ୍ଛାଦନ ସମ୍ମୁଖରେ ତାହା ଛିଞ୍ଚିବ।
16ପୁଣି, ଇସ୍ରାଏଲ-ସନ୍ତାନଗଣର ଅଶୁଚିତା ଓ ସେମାନଙ୍କ ଅଧର୍ମ, ଅର୍ଥାତ୍, ସେମାନଙ୍କର ସମସ୍ତ ପାପ ସକାଶୁ ସେ ପବିତ୍ର ସ୍ଥାନ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ସେମାନଙ୍କ ଅଶୁଚିତା ମଧ୍ୟରେ ସେମାନଙ୍କ ସହିତ ବାସ କରେ ଯେଉଁ ସମାଗମ-ତମ୍ବୁ, ତାହା ନିମନ୍ତେ ସେହି ପ୍ରକାର କରିବ।
17ଆଉ, ସେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପବିତ୍ର ସ୍ଥାନରେ ପ୍ରବେଶ କରିବା ସମୟଠାରୁ ଯେପର୍ଯ୍ୟନ୍ତ ବାହାର ହୋଇ ନାହିଁ; ପୁଣି, ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ଓ ଇସ୍ରାଏଲର ସମସ୍ତ ସମାଜ ନିମନ୍ତେ ପ୍ରାୟଶ୍ଚିତ୍ତ କରି ନାହିଁ, ସେପର୍ଯ୍ୟନ୍ତ ସମାଗମ-ତମ୍ବୁରେ କୌଣସି ମନୁଷ୍ୟ ରହିବ ନାହିଁ,
18ଆଉ, ସେ ବାହାର ହୋଇ ସମ୍ମୁଖସ୍ଥ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ।
19ପୁଣି, ସେ ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ସାତ ଥର ଛିଞ୍ଚି ତାହା ଶୁଚି କରିବ ଓ ଇସ୍ରାଏଲ-ସନ୍ତାନଗଣର ଅଶୁଚିତାରୁ ତାହା ଶୁଚି କରିବ।