5ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ।
6ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
7“ଫିଲାଦେଲ୍ଫିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର ଚାବି ଅଛି, ଯେ ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ,
8ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କାର୍ଯ୍ୟ ଜାଣୁ; ଦେଖ, ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ, କେହି ତାହା ବନ୍ଦ କରିପାରେ ନାହିଁ, କାରଣ ତୁମ୍ଭର ଶକ୍ତି ସାମାନ୍ୟ, ତଥାପି ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରି ଆମ୍ଭର ନାମ ଅସ୍ୱୀକାର କରି ନାହଁ।
9ଦେଖ, ଯେଉଁମାନେ ଯିହୁଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।