33ସେତେବେଳେ ସେହି ଲୋକମାନେ ଯତ୍ନପୂର୍ବକ ନିରୀକ୍ଷଣ କରି ତାହାର ମନ ସେପରି କି ନାହିଁ, ଏହା ଧରିବାକୁ ଚଞ୍ଚଳ ହେଲେ; ଆଉ ସେମାନେ କହିଲେ, “ଆପଣଙ୍କ ଭ୍ରାତା ବିନ୍ହଦଦ୍।” ତେବେ ସେ କହିଲେ, “ତୁମ୍ଭେମାନେ ଯାଇ ତାହାକୁ ଆଣ।” ତହୁଁ ବିନ୍ହଦଦ୍ ତାଙ୍କ ନିକଟକୁ ଆସନ୍ତେ, ସେ ତାହାକୁ ରଥ ଉପରକୁ ଅଣାଇଲେ।
34ସେତେବେଳେ ବିନ୍ହଦଦ୍ ତାଙ୍କୁ କହିଲା, “ମୋʼ ପିତା ଆପଣଙ୍କ ପିତାଙ୍କଠାରୁ ଯେଉଁ ଯେଉଁ ନଗର ନେଇଅଛନ୍ତି, ତାହା ମୁଁ ଫେରାଇ ଦେବି; ପୁଣି, ଯେପରି ମୋʼ ପିତା ଶମରୀୟାରେ ନଗରଗୁଡ଼ିକ କରିଥିଲେ, ସେପରି ଆପଣ ଦମ୍ମେଶକରେ ଆପଣା ପାଇଁ କରିବେ।” ଏଥିରେ ଆହାବ କହିଲେ, “ମୁଁ ଏହି ନିୟମରେ ତୁମ୍ଭକୁ ଛାଡ଼ିଦେବି।” ତହୁଁ ସେ ତାହା ସଙ୍ଗେ ନିୟମ କରି ତାହାଙ୍କୁ ଛାଡ଼ିଦେଲେ।
35ଏଥିଉତ୍ତାରେ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ମଧ୍ୟରୁ କେହି ଜଣେ ସଦାପ୍ରଭୁଙ୍କ ବାକ୍ୟରେ ଆପଣା ସଙ୍ଗୀକୁ କହିଲା, “ମୁଁ ବିନୟ କରୁଅଛି; ମୋତେ ମାର।” ମାତ୍ର ସେ ଲୋକ ତାକୁ ମାରିବା ପାଇଁ ମନା କଲା।
36ତହୁଁ ସେ ତାହାକୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ମାନିଲ ନାହିଁ, ଏହେତୁ ଦେଖ, ତୁମ୍ଭେ ମୋʼ ନିକଟରୁ ପ୍ରସ୍ଥାନ କଲାକ୍ଷଣେ ସିଂହ ତୁମ୍ଭକୁ ବଧ କରିବ।” ଏଥିଉତ୍ତାରେ ସେ ପ୍ରସ୍ଥାନ କଲାକ୍ଷଣେ ସିଂହ ତାହାକୁ ଭେଟି ବଧ କଲା।
37ପୁଣି, ସେ ଆଉ ଏକ ମନୁଷ୍ୟକୁ ଭେଟି କହିଲା, “ବିନୟ କରୁଅଛି, ମୋତେ ମାର।” ତହୁଁ ସେ ଲୋକ ତାହାକୁ ମାରିଲା ଓ ମାରି ମାରି ତାହାକୁ କ୍ଷତବିକ୍ଷତ କଲା।