19ପୁଣି, ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତାହାର ଚରାସ୍ଥାନକୁ ଆଣିବା ଓ ସେ କର୍ମିଲ ଓ ବାଶନର ଉପରେ ଚରିବ, ଆଉ ଇଫ୍ରୟିମର ପର୍ବତମାନର ଉପରେ ଓ ଗିଲୀୟଦରେ ତାହାର ପ୍ରାଣ ତୃପ୍ତ ହେବ।
20ସଦାପ୍ରଭୁ କହନ୍ତି, ସେହି ଦିନରେ ଓ ସେହି ସମୟରେ ଇସ୍ରାଏଲର ଅଧର୍ମ ଅନ୍ୱେଷଣ କରାଯିବ, ମାତ୍ର କିଛି ମିଳିବ ନାହିଁ ଓ ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ତାହା ମିଳିବ ନାହିଁ। କାରଣ ଆମ୍ଭେ ଯେଉଁମାନଙ୍କୁ ଅବଶିଷ୍ଟ ରଖିବା, ସେମାନଙ୍କୁ କ୍ଷମା କରିବା।
21ସଦାପ୍ରଭୁ କହନ୍ତି, ତୁମ୍ଭେ ମରାଥୟିମ୍ (ଦ୍ୱିଗୁଣ ଦ୍ରୋହ) ଦେଶର ବିରୁଦ୍ଧରେ ଓ ପକୋଦ (ପ୍ରତିଫଳପୁର) ନିବାସୀମାନଙ୍କ ବିରୁଦ୍ଧରେ ଉଠିଯାଅ; ସେମାନଙ୍କର ପଶ୍ଚାତ୍ ପଶ୍ଚାତ୍ ଯାଇ ସେମାନଙ୍କୁ ବଧ କରି ନିଃଶେଷ ରୂପେ ବିନାଶ କର ଓ ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିଅଛୁ, ତଦନୁସାରେ କର।
22ଦେଶରେ ସଂଗ୍ରାମର ଓ ମହାବିନାଶର ଶବ୍ଦ ହେଉଅଛି।
23ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!